ନୂଆଦିଲ୍ଲୀ : ମିଆଁମାରର ଏକ ଜାଡେ ଖଣିରେ ବଡ଼ ଭୂସ୍ଖଳନ ହୋଇଛି। ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ନିଖୋଜ ଅଛନ୍ତି। ଜରୁରୀକାଳୀନ ସେବାର ଅଧିକାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ନିଖୋଜ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ସୂଚନା ମୁତାବକ, ମୂଷଳ ଧାରାରେ ବର୍ଷା ହେତୁ ଗତ ରବିବାର କାଚିନ୍ ପ୍ରଦେଶର ହପାକାନ୍ତ ନଗର ଉପକଣ୍ଠରେ ଥିବା ଏକ ଜାଡେ (ଖଣିଜ ପଦାର୍ଥ) ଖଣିରେ ଭୂସ୍ଖଳନ ହୋଇଥିଲା। ଏହି ସ୍ଥାନ ମିଆଁମାରର ସବୁଠୁ ବଡ଼ ସହର ୟାଙ୍ଗୁନଠାରୁ ପ୍ରାୟ ୯୫୦ କିଲୋମିଟର ଦୂର ଉତ୍ତରରେ ରହିଛି। ଅଞ୍ଚଳଟି ବିଶ୍ୱର ସର୍ବବୃହତ୍ ତଥା ଆକର୍ଷକ ଜାଡେ ଖଣିର କେନ୍ଦ୍ର।
ମଙ୍ଗଳବାର ଉଦ୍ଧାର ଅଭିଯାନ ସମୟରେ ୨୫ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ୧୪ ଜଣ ନିଖୋଜ ଥିବା ଅଧିକାରୀମାନେ କହିଛନ୍ତି। ବୁଧବାର ଉଦ୍ଧାର କାର୍ୟ୍ୟ ଜାରି ରହିଛି।ସୂଚନା ମୁତାବକ, ଖନନ ସମୟରେ ପ୍ରବଳ ବର୍ଷା ଯୋଗୁ ପ୍ରାୟ ୬୦୦ ଫୁଟ୍ ଉଚ୍ଚ ମାଟି ଗଦା ଭୁଶୁଡ଼ି ପଡ଼ିଥିଲା।
Views: 81