
ଜୁନ୍ ଓ ଜୁଲାଇ ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ବିଶ୍ବ ସଂସ୍ଥା ଦ୍ବାରା ସାମୁଦ୍ରିକ ଜଳପତ୍ତନର ତାପମାତ୍ରା ଓ ବାୟୁମଣ୍ଡଳର ତଥ୍ୟ ଅଧାରିତ ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ଆକଳନ ଅନୁଯାୟୀ, ଆଗାମୀ ଖରା ଦିନରେ ବିଶେଷ ଗରମ ହେବାର ସମ୍ଭାବନା ନ ଥିବା ବେଳେ ମୌସୁମୀର ପ୍ରାଥମିକ ପର୍ଯ୍ୟାୟରେ ବର୍ଷା ସ୍ବାଭାବିକ ବା ଏହାଠାରୁ ଅଧିକ ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ମୌସୁମୀ ବର୍ଷାର ସ୍ବରୂପ ସାମୁଦ୍ରିକ ଓ ବାୟୁମଣ୍ଡଳର ସ୍ଥିତି ଉପରେ ନିର୍ଭର କରେ । କେତେକ ବର୍ଷ ଉତ୍ତର ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ହେଲେ ମୌସୁମୀ ବର୍ଷା ମଧ୍ୟ ପ୍ରଭାବିତ ହୋଇଥାଏ ।
ଶୀତ ଦିନେ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ସାଧାରଣ ଭାବେ ଅଧିକ ଦେଖାଯାଏ । ଯଦିବା ବେଳେ ବେଳେ ଏହା ଗ୍ରୀଷ୍ମ ଋତୁରେ ବର୍ଷା ଓ ତତ୍ଜନିତ ଗରମକୁ ମଧ୍ୟ ପ୍ରଭାବିତ କରିଥାଏ । ଫେବ୍ରୁଆରିର ତଥ୍ୟ କହୁଛି, ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା କମ୍ ରହିଥିବାରୁ ଲା-ନିନାର ପ୍ରଭାବ ଥିଲା ଓ ଏହି ଅବସ୍ଥା ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ। ମେ’ରୁ ଅଗଷ୍ଟ ମଧ୍ୟରେ ତାପମାତ୍ରା ବଢ଼ି ନ୍ୟୁଟ୍ରାଲ ଇନ୍ସୋରେ ରହିବ । ସାଧାରଣ ଭାବେ ଲା-ନିନା ସମୟରେ ଭାରତରେ ବର୍ଷା ଅଧିକ ହୋଇଥାଏ । ଏପରିକି ନ୍ୟୁଟ୍ରାଲ ଇନ୍ସୋ ସମୟରେ ମଧ୍ୟ ବର୍ଷା ଅଧିକ ହୋଇଥାଏ । ବର୍ଷା ଅଧିକ ହେଲେ ତାପମାତ୍ରା କମିଥାଏ ।
ମେ’ରୁ ଜୁଲାଇ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିବାର ସମ୍ଭାବନା ୪୦ରୁ ୬୦% ରହିଛି। ଏପ୍ରିଲ ମାସରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା କମ୍ ହେବାର ସମ୍ଭାବନା ୪୦%। ମେ’ ଓ ଜୁନ୍ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଜୁଲାଇ ମାସରେ ବର୍ଷା ସ୍ବାଭାବିକ ହୋଇପାରେ । ଯଦି ଉଭୟ ତାପମାତ୍ରା ଓ ବର୍ଷାର ଆକଳନକୁ ବିଚାର କରାଯାଏ, ଜୁନ୍ ମାସରେ ଅଧିକ ବର୍ଷା ଓ କମ୍ ତାପମାତ୍ରା ଇଙ୍ଗିତ ହେଉଛି ଯେ ଜୁନ୍ ମାସରେ ମୌସୁମୀର ସ୍ବରୂପ ଠିକ୍ ରହିବ। ମେ’ ମାସର ଆକଳନ ଅନୁଯାୟୀ, ମେ’ରେ ଗରମ କମ୍ ରହିବା ସହ ମଝିରେ ମଝିରେ ବର୍ଷା ହେବ। ସାଧାରଣତଃ ବର୍ଷର ସର୍ବାଧିକ ଗରମ ଏପ୍ରିଲ ମାସରେ ପଡ଼ିଥାଏ । ତେବେ ମଧ୍ୟ ଏପ୍ରିଲ ବେଳକୁ ଏ ନେଇ ଅଧିକ ସ୍ପଷ୍ଟ ଚିତ୍ର ଆସିବ।