ଶନିବାର ଆଇପିଏଲ୍ର ଦଶମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ସହ ଅଭିଯାନ ଆରମ୍ଭ କରିଥିବାରୁ ଉଭୟ ଦଳର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚ୍ରେ କ୍ୟାପିଟାଲ୍ସ ଓ ଟାଇଟନ୍ସ ବିଜୟଧାରା ଅବ୍ୟାହତ ରଖିବା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ରାତି ୭.୩୦ରୁ ଆରମ୍ଭ ହେବ ।

ଆଇପିଏଲ୍ରେ ପଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫ ୱିକେଟ୍ରେ ପରାସ୍ତ କରିଥିଲା । କ୍ୟାପିଟାଲ୍ସ ପ୍ରଥମ ମ୍ୟାଚ୍ରେ ୫ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା । ତେଣୁ ଦଳର ଏକାଦଶ ପରିବର୍ତ୍ତନ ସମ୍ଭାବନା କମ୍ । ପ୍ରଥମ ମ୍ୟାଚ୍ ବିଜୟରେ ହୀରୋ ସାଜିଥିବା ସ୍ପିନର କୁଲଦୀପ ଯାଦବ (୩/୧୮), ଲଳିତ ଯାଦବ (ଅପରାଜିତ ୪୮) ଓ ଅକ୍ଷର ପଟେଲ (ଅପରାଜିତ ୩୮) ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଓପନର ପୃଥ୍ୱୀ ଶ’ ୨୪ବଲ୍ରୁ ଦ୍ରୁତ ୩୮ରନ୍ କରି ଫର୍ମରେ ଥିବା ପ୍ରମାଣିତ କରିଥିବାବେଳେ ଅଧିନାୟକ ରିଷଭ ପନ୍ତ ଓ ରୋଭମାନ୍ ପାୱେଲ୍ ଫେଲ୍ ମାରିଥିଲେ ।