
ଭଞ୍ଜନଗର : ସ୍କୁଲ କି ସରକାରୀ କୋଠା ନଥିରୁ ବାଧ୍ୟ ହୋଇ ଗଛତଳେ ହେଲା ଭୋଟିଂ । ଭୋଟଦାନ ବେଳେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ ।ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଞ୍ଚାୟତର ଅଶୋକପୋଲି ଗ୍ରାମରେ । ଭୋଟରମାନେ ତେନ୍ତୁଳି ଗଛ ମୂଳେ ଭୋଟ୍ ଦେଇଛନ୍ତି ।ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଅଶୋକପୋଲି ଗ୍ରାମରେ ରବିବାର ତୃତୀୟ ପର୍ଯ୍ୟୟ ଭୋଟ ଗ୍ରହଣ ହୋଇଥିଲା । ଗ୍ରାମ ନିକଟରେ ଥିବା ଏକ ତେନ୍ତୁଳି ଗଛ ମୂଳରେ ୪ ନମ୍ବର ୱାର୍ଡର ୧୨୯ ଭୋଟର ଭୋଟ୍ ଦେଇଥିଲେ । ଏପରିକି ପୋଲିଂ ପାର୍ଟିଙ୍କ ନିମନ୍ତେ ରହିବାର କୌଣସି ସୁବିଧା ନଥିବାରୁ ସେମାନେ ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ଅବସ୍ଥାନ କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଓ ସହଯୋଗ କ୍ରମେ କିଛି ଚେୟାର ଏବଂ ଟେବୁଲର ବ୍ୟବସ୍ଥା କରାଯାଇ ଭୋଟ ବାକ୍ସ ରଖାଯାଇଥିଲା ।ଏବଂ ଜରିପାଲ ଆଢୁଆଳ ଦେଇ ଭୋଟ କେନ୍ଦ୍ର କରାଯାଇଥିଲା । ଆଖପାଖ ପାହାଡ଼ ଇଲାକାରୁ ଭୋଟର ତେନ୍ତୁଳି ଗଛ ନିକଟକୁ ଆସି ଧାଡି ବାନ୍ଧି ଶୃଙ୍ଖଳାର ସହିତ ମତଦାନ କରିଥିଲେ।

ସୂଚନା ଅନୁଯାୟୀ, ଧରାକୋଟ ବ୍ଲକର ଏହି ସାବା ପଞ୍ଚାୟତ ମୋଟ ୧୨ଟି ୱାର୍ଡକୁ ନେଇ ଗଠିତ । ଏଠାକାର ଭୋଟର ସଂଖ୍ୟା ୨୯୯୦ ହୋଇଥିବା ବେଳେ ଅଶୋକପୋଲି ଏବଂ ପିଲିପଦର ଗ୍ରାମକୁ ରାସ୍ତା ଘାଟ ମଧ୍ୟ ନାହିଁ । ତେଣୁ ପୋଲିଂ ପାର୍ଟି ବହୁତ କଷ୍ଟରେ ସେଠାରେ ପହଁଚି ଗଛ ମୂଳରେ ମତଦାନ କେନ୍ଦ୍ର କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ।