
କଟକ : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ହୋଇଥିବା ୧୦ମ ଶ୍ରେଣୀର ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଜାନୁଆରୀରେ ଶେଷ ହୋଇଥିଲେ ମଧ୍ୟ ଏ ଯାଏ ପରୀକ୍ଷା ଫଳାଫଳ ଜଣାପଡ଼ିନାହିଁ । ଏହିି ପରୀକ୍ଷାର ଫଳ ଆସନ୍ତା ସପ୍ତାହରେ ବୋର୍ଡ ୱେବସାଇଟ୍ରେ ଅପଲୋଡ୍ କରାଯିବ ବୋଲି ବୋର୍ଡ ସୂତ୍ରରୁ ଏନେଇ ସୂଚନା ମିଳିଛି । ୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଅବଜେକ୍ଟିଭ୍ରେ ହୋଇଥିଲା । ଓଏମ୍ଆର୍ ସିଟ୍ରେ ହୋଇଥିବା ଉକ୍ତ ପରୀକ୍ଷାକୁ ରାଜ୍ୟର ୩ ହଜାର ୮୫ଟି କେନ୍ଦ୍ରରେ ୫ଲକ୍ଷ ୭୧ ହଜାର ୯୭୪ ପରୀକ୍ଷାର୍ଥୀ ଦେଇଥିଲେ । ଉତ୍ତର ଖାତାଗୁଡ଼ିକ ବୋର୍ଡ ପକ୍ଷରୁ ମୂଲ୍ୟାୟନ ଲାଗି ଏକ ଫାର୍ମକୁ ପଠାଯାଇଥିଲା ।
ତେବେ ଅନ୍ୟପକ୍ଷରେ ସମେଟିଭ୍-୨ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ଶିକ୍ଷାବିତ୍ମାନଙ୍କ ସହ ଆଲୋଚନା ଶେଷ ହୋଇଛି । ଏହାପୂର୍ବରୁ ଗତ ୨୭ ତାରିଖରେ ରାଜ୍ୟର ବିଭିନ୍ନ ଶିକ୍ଷକ ସଂଘ, ଅଭିଭାବକ, ଶିକ୍ଷକ, ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ବୋର୍ଡ କର୍ତ୍ତୃପକ୍ଷ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ନୂତନ ସମେଟିଭ୍-୨ ପରୀକ୍ଷା ଲାଗି ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡ଼ିଥିଲେ । ଏନେଇ ବର୍ତ୍ତମାନ ସୁଦ୍ଧା ଏହି ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି । ତେବେ ସରକାର ତାରିଖ ଧାର୍ୟ୍ୟ କଲେ ପରୀକ୍ଷା ହେବ ବୋଲିି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ସମେଟିଭ୍-୨ ପରୀକ୍ଷା ପୂର୍ବରୁ ଚଳିତ ମାସର ଦ୍ୱିତୀୟ ସପ୍ତାହ ମଧ୍ୟରେ ଫର୍ମେଟିଭ୍ ଆସେସମେଣ୍ଟ୍ (ଏଫ୍ଏ)-୪ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।