ଭୁବନେଶ୍ୱର : ପଖାଳ… ପ୍ରତିଟି ଓଡିଆଙ୍କ ପ୍ରାଣ । ଓଡିଆଙ୍କ ପରିଚୟ । ସଭିଙ୍କର ପ୍ରିୟ ପଖାଳ । ସେ ଗାଁ ହେଉ କି ସହର । ପଖାଳର ବାସ୍ନା ସବୁଠି ନିଆରା । ଆଜି ହେଉଛି ପଖାଳ ଦିବସ । ଖରାଦିନ ଆସିଲେ ଖୋଜାପଡେ ପଖାଳ କଂସା । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡିଗଲେ ମନ ଓ ଦେହକୁ ଶାନ୍ତି ମିଳେ । ଓଡିଆ ଜନ ଜୀବନ ସହ ପଖାଳର ରହିଛି ଆତ୍ମୀୟତାର ସମ୍ପର୍କ ।

ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । କି ନେତା, କି ମନ୍ତ୍ରୀ । ସାନ-ବଡ଼, ଧନୀ ଗରିବ । ସବୁ ଭେଦଭାବକୁ ଭେଦ କରି ସମସ୍ତଙ୍କୁ ଏକାକାର କରିଦେଇଛି ପଖାଳ କଂସା । କିଏ ବିଲ ହୁଡ଼ାରେ ବସି ପଖାଳ ଖାଏ, ତ ଆଉ କିଏ ତାରକା ହୋଟେଲରେ ପଖାଳ ଖାଏ । ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲର ମେନ୍ୟୁରେ ସ୍ଥାନ ପାଇଛି ପଖାଳ ।

ପଖାଳ ସହ ଜମେ ବଢିଚୁରା, ମାଛଭଜା, ଆଳୁଭର୍ତ୍ତା, ସଜନାଛୁଇଁ ଭଜା, ଚିପ୍ସ, ଟମାଟୁ ବାଇଗଣ ଭର୍ତ୍ତା, ଚିଙ୍ଗୁଡି ଛେଚା ଏମିତି ଅନେକ କିଛି । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି ।

ପଖାଳ ଶବ୍ଦ ପାଲି ଭାଷା ‘ପଖାଳିବା’ରୁ ଆସିଛି । ଯାହାର ଅର୍ଥ ଧୋଇବା । ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି । ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ । ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ ।