ଗଜପତି : ମିଶନ ଶକ୍ତି … ରାଜ୍ୟର ମହିଳାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ସେମାନଙ୍କୁ କରିଛି ସ୍ୱାବଲମ୍ବୀ । ନିଜେ ରୋଜଗାରକ୍ଷମ ହୋଇ ନିଜ ପରିବାର ତଥା ଅନ୍ୟ ମାନଙ୍କ ମୁହଁରେ ଫୁଟାଇ ପାରିଛନ୍ତି ହସ । ଆଉ ଅନ୍ୟ ମାନଙ୍କ ଉପରେ ନିର୍ଭର ନ ରହି ନିଜ ପାଇଁ ନିଜେ ଗଢିଛନ୍ତି ଏକ ନୁଆ ଦୁନିଆ । ଅନେକ ବେସାହାରା ମହିଳାଙ୍କୁ ମିଳିଛି ସାହାରା ଏବଂ ଘରର ଚାରି କାନ୍ଥ ଭିତରେ ସେମାନେ ଆଉ ସୀମିତ ହୋଇ ରହି ନାହାନ୍ତି । ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଥମେ ଗଠନ କରିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀ । ଆଉ ସ୍ୱୟଂ ସହାୟକ ଗୋଷ୍ଠୀରୁ ସୃଷ୍ଟି ହୋଇଥିଲା ମିଶନ ଶକ୍ତି । ସ୍ୱୟଂ ସହାୟକ ଗୋଷ୍ଠୀରୁ କ୍ଷୁଦ୍ର ମଧ୍ୟମ ଶିଳ୍ପ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ମହିଳା ମାନେ। ବ୍ୟବସାୟରୁ ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତି ନେବା ପାଇଁ ହୋଇପାରିଛନ୍ତି ସକ୍ଷମ ।

ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ସହାୟତାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନଙ୍କୁ ନେଇ ଗଢି ଉଠିଥିଲା ରାୟଗଡା ବ୍ଲକର ମିଶନ ଶକ୍ତିର ସିଲେଇ ଓ ତାଲିମ କେନ୍ଦ୍ର । ତତ୍କାଳୀନ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହାକୁ କାର୍ୟ୍ୟକ୍ଷମ କରିଥିଲେ। ଆଜି ଏହି ସିଲେଇ କେନ୍ଦ୍ରର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମିଳିଛି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀର ପରିଚୟ ।
ଏହି ମିଶନ ଶକ୍ତିରେ ଥିବା ଆଦିବାସୀ ମହିଳା ରିନା ଶବର କହିଛନ୍ତି, ଆଜି ମିଶନ ଶକ୍ତି ପାଇଁ ମହିଳା ମାନେ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ମହିଳାଙ୍କୁ ଆଗକୁ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମ ରେ ସିଲେଇ ତାଲିମ ପ୍ରଦାନ କରି ୨୦୨୧ ଅଗଷ୍ଟ ୧୫ ରେ ରାୟଗଡ଼ ବ୍ଲକ କାର୍ୟ୍ୟାଳୟ ପରିସରରେ ଏବଂ ଜିରାଙ୍ଗ ଗ୍ରାମରେ ଦୁଇଟି ସିଲେଇ ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଉଭୟ କେନ୍ଦ୍ରରେ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ୬୦ରୁ ଉର୍ଦ୍ଧ୍ବ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଲକ୍ଷ୍ୟ ଯେ, ମା ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବା । ତାହା ଗଜପତି ଜିଲ୍ଲାର ରାୟଗଡ ଏବଂ ଜିରାଙ୍ଗ ଗ୍ରାମର ମହିଳା ଗୋଷ୍ଠୀଙ୍କ କ୍ଷେତ୍ରରେ ସଫଳ ହୋଇଛି। ବ୍ଲକ୍ ମିଶନ ଶକ୍ତି ଦ୍ବାରା ପରିଚାଳିତ ସିଲେଇ କେନ୍ଦ୍ରର ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀରୁ କ୍ଷୁଦ୍ର ମଧ୍ୟମ ଶିଳ୍ପ ଉଦ୍ୟୋଗୀ ଭାବେ ରୂପାନ୍ତରିତ ହୋଇ ପାରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ମିଶନ ଶକ୍ତି ବିଭାଗରକୁ ଧନ୍ୟବାଦ ଜଣାଇଛନ୍ତି ମହିଳାମାନେ।

ମିଶନ ଶକ୍ତି ଦ୍ୱାରା ଗ୍ରାମୀଣ ମହିଳା ସ୍ବାବଲମ୍ବୀ ହେବା ସହ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବାରୁ ମହିଳାମାନଙ୍କ ମୁହଁ ରେ ହସ ଫୁଟିଛି । ନିଜେ ରୋଜଗାରକ୍ଷମ ହୋଇ ଅନ୍ୟକୁ ମଧ୍ୟ ରୋଜଗାର ଦେଇ ପାରୁଛନ୍ତି ଏହି ମିଶନ ଶକ୍ତିର ମହିଳାମାନେ। ଏହାହିଁ ମିଶନ ଶକ୍ତି ମହିଳାମାନଙ୍କର ପ୍ରକୃତ ରୂପାନ୍ତର ବୋଲି ମିଶନ ଶକ୍ତି ସିଲାଇ ଓ ତାଲିମ କେନ୍ଦ୍ରରେ କାର୍ୟ୍ୟକରୁଥିବା ମହିଳା କୁହନ୍ତି। ଏଥିପାଇଁ ମିଶନ ଶକ୍ତି ଦ୍ବାରା ପରିଚାଳିତ ରାୟଗଡ଼ ବ୍ଲକର ମିଶନ ଶକ୍ତି ସିଲେଇ କେନ୍ଦ୍ରର ମହିଳାମାନେ ରାଜ୍ୟ ଏବଂ ଜିଲ୍ଲାର ଅନ୍ୟ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉଦାହରଣ ସାଜିଛନ୍ତି।