ଦିନକ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ତୈଳଦର, ଦରଦାମ ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା ୫୭ କୋଟି ଟଙ୍କାର ଦୁର୍ନୀତି କଥା ଉଠାଇଥିଲେ। ଏହାକୁ କେନ୍ଦ୍ର କରି ନାରାବାଜୀ ବଢ଼ିବାରୁ ଉଭୟ ଗୃହ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ହୋଇଯାଇଛି। ଭାଜପା ନେତା ସୁଶୀଲ ମୋଦି କହିଥିଲେ ଯେ ୩୨ ବର୍ଷ ହେଲା କଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ମିଳିନାହିଁ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଗଠନ କରାଯାଉ ବୋଲି ସେ ଦାବି କରିଥିଲେ । ସେହିପରି ଲୋକ ସଭାରେ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ପେଟ୍ରୋଲ, ଡିଜେଲ ଏବଂ ଘରୋଇ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ।

ସୂଚନାଯୋଗ୍ୟ, ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଯାଏ ଚାଲିଥିଲା। ଏହାପରେ ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇଥିଲା। ଏହା ଏପ୍ରିଲ ୮ ଯାଏ ଚାଲିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଦିନକ ଆଗରୁ ଗୃହକୁ ମୁଲତବୀ କରି ଦିଆଯାଇଛି। ଏହି ଅଧିବେଶନରେ ବଜେଟ ପ୍ରକ୍ରିୟା ବ୍ୟତୀତ ଅପରାଧୀ ଚିହ୍ନଟ ବିଲ ଓ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ(ସଂଶୋଧନ) ବିଲ୍ ପାରିତ ହୋଇଛି।