The Ultimate Managed Hosting Platform
ADVERTISEMENT

ଜଗନ୍ନାଥ ମୟ ଶ୍ରୀକ୍ଷେତ୍ର ; ଇତିହାସରେ ଲେଖାହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

Facebook
Twitter
LinkedIn

ପୁରୀ : ଶ୍ରୀକ୍ଷେତ୍ରର ନୂଆ ଇତିହାସ। ଜଗନ୍ନାଥମୟ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହେଲା ନୂଆ ଫର୍ଦ୍ଦ । ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଉତ୍ସାହ । ମନ ଆଜି ଭରି ଉଠୁଛି । ଜଗନ୍ନାଥ ଧାମ ଆଜି ଏକ ନୂଆ ରୂପରେ ଶୋଭା ପାଇବାକୁ ଯାଉଛି । ପୌଷ ଶୁକ୍ଲସପ୍ତମୀ ତିଥିରେ ତଥା ଆଜିର ଦିନରେ ହେଉଛି ପରିକ୍ରମା ପ୍ରକଳ୍ପର ଉଦଘାଟନ । ଏହି ତିଥି, ବାର, ନକ୍ଷତ୍ର ଓ ତାରିଖ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ ହେବ ଏକ ସ୍ମରଣୀୟ ଦିନ। ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ।
ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ। ଅନୁରୂପ ଭାବରେ ତ୍ରିଦିନାତ୍ମକ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗତକାଲି ସକାଳ ସାଢେ ୭ଟାରେ ଦ୍ୱିତୀୟ ଦିନର ଯଜ୍ଞ କର୍ମ ଆରମ୍ଭ ହୋଇଥିଲା । ସୂର୍ୟ୍ୟପୂଜା, ଧରିତ୍ରୀ ପୂଜା, ଦ୍ୱାରପାଳ ପୂଜା, ବରୁଣ ପୂଜା, ଗୋ ପୂଜା କରାଯାଇଥିଲା। ଶାଲା ପ୍ରବେଶରେ ଦେବତାଙ୍କ ଆବାହନ ପରେ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ଅଧିବାସ କଳସ ଜଳ, ଚନ୍ଦନ, ହଳଦୀ, ରକ୍ଷାସୂତ୍ର, ଲାଜା, ପଞ୍ଚଗବ୍ୟ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଶୋଧନ କରିଛନ୍ତି। ପରେ ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ଏବଂ ପ୍ରଦକ୍ଷିଣ କରାଯାଇ ସନ୍ଧ୍ୟାରେ ଦ୍ୱିତୀୟ ଦିନର ଯଜ୍ଞକର୍ମ ଶେଷ କରାଯାଇଛି। ଆଜି ଯଜ୍ଞ ପୂର୍ଣ୍ଣାହୁତି ସହ ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ।
ଆଜି ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆହୁତି ସମାପ୍ତ କରାଯିବ । ସାଢେ ୧୨ଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞସ୍ଥଳରେ ପହଞ୍ଚିବେ । ଅପରାହ୍ନ ୧ଟା ୧୫ରୁ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଫଳକ ଉନ୍ମୋଚନ କରିବେ। ଅପରାହ୍ନ ସାଢେ ୧ଟାରୁ ୨ଟା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞ ପୂର୍ଣ୍ଣାହୁତି ପରେ ଆରତି ଓ ପୁଷ୍ପାଞ୍ଜଳି, ଅପରାହ୍ନ ୨ଟାରୁ ସାଢେ ୨ଟା ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ ଓ ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କ ଗହଣରେ ପ୍ରକଳ୍ପ ପ୍ରଦକ୍ଷିଣ କରିବେ। ଏହାପରେ ସାଢେ ୨ଟାରୁ ୩ଟା ମଧ୍ୟରେ ଉତ୍ତର ପାର୍ଶ୍ୱ ମଠ ନିକଟସ୍ଥ ସଭା ସ୍ଥଳରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ସହଯୋଗ ଏବଂ ସହଭାଗିତା ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜଣାଇବେ । ଏଥିସହ ବିଭିନ୍ନ ପ୍ରକଳ୍ପର ଭିଡିଓ ଜାରି କରାଯିବ । ଅପରାହ୍ନ ୩ଟା ପରେ ସର୍ବସାଧାରଣଙ୍କୁ ପରିକ୍ରମା ମାର୍ଗକୁ ବୁଲିବା ପାଇଁ ଛଡାଯିବ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ଶୋ’ର ବ୍ୟବସ୍ଥା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login