ଆନନ୍ଦପୁର : ଗାଁରେ ଚଢାଉ କରିବାକୁ ଯାଇ ବନ ବିଭାଗ କର୍ମଚାରୀ ହଟହଟା । ଦୀର୍ଘ ସମୟ ଧରି ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକେ। ଏହା ପରେ ପୋଲିସ ସେଠାରେ ପହଞ୍ଚି ବୁଝାସୁଝା କରିବା ପରେ ମୁକୁଳିଛନ୍ତି ।ସୂଚନା ଅନୁଯାୟୀ, ଦଲକି ଗାଁରେ କେତେକ ଲୋକ ଶିକାର ସରଞ୍ଜାମ ରଖିଥିବା ସୂଚନା ମିଳିଥିଲା । ସୁରାଗ ପାଇ ଶୁକ୍ରବାର ମଧ୍ୟାହ୍ନରେ ହଦଗଡ ରେଞ୍ଚ ଅଫିସର, ଫରେଷ୍ଟରଙ୍କ ସମେତ ଫରେଷ୍ଟ ସ୍କ୍ବାର୍ଡ ଦଲକି ଗ୍ରାମରେ ପଂହଚି ଚଢାଉ କରିଥିଲେ ।
ବିଭାଗର କର୍ମଚାରୀମାନେ ଚଢାଉ ସମୟରେ ଲୋକଙ୍କ ଘରେ ଜୋତା ପିନ୍ଧି ପଶିଥିବାରୁ ଏହାକୁ ବିରୋଧ କରି ମହିଳାମାନେ ବନ ବିଭାଗ କର୍ମଚାରୀଙ୍କ ଗାଡି ଆଗରେ ଠିଆହୋଇ ସେମାନଙ୍କୁ ଅଟକ ରଖିଥିଲେ । ସଂପୃକ୍ତ ଅଞ୍ଚଳରେ ମୋବାଇଲ ସେବା ନଥିବାରୁ ବନ ବିଭାଗ କର୍ମଚାରୀମାନେ ପୋଲିସକୁ ଖବର ଦେବା ଅସମ୍ଭବ ହୋଇ ପଡିଥିଲା । ପୋଲିସ କୌଣସି ସୂତ୍ରରୁ ଘଟଣା ସମ୍ପର୍କରେ ଖବର ପାଇ ପହଞ୍ଚିବା ପରେ ସେଠାରେ ଗାଁ ଲୋକଙ୍କୁ ବୁଝାସୁଝା କରିବାରୁ ବନ ବିଭାଗ କର୍ମଚାରୀ ମାନଙ୍କୁ ଛାଡିଥିଲେ ଗାଁ ଲୋକେ ।
Views: 273











